Unknown

 

 

 

 

 

 

 

 

 

 

ଶରଦ ରାହାସ

ବିଶ୍ୱମ୍ଭର ରାଜେନ୍ଦ୍ର ଦେବ

 

ଶ୍ଳୋକ

କାଳାହିବକ୍ତବିଳସଦ୍ରସନାଗ୍ରଜାଗ୍ରଦ୍‌

ଗୋପୀଦୃଗଞ୍ଚଳଚମତ୍କୃତିବିଦ୍ଧମର୍ମା ।

ଶର୍ମାଦିଶତ୍ୱରୁଣଘୂର୍ଣ୍ଣିତ ଲୋଚନାନ୍ତ

ସଞ୍ଚାର ଚୂର୍ଣ୍ଣିତସତୀହୃଦୟୋ ମୁକୁନ୍ଦଃ ।।

 

(ଅର୍ଥ)

କାଳସର୍ପର ମୁଖରେ ଥିବା ପ୍ରଖରତର ରସନାର ଅଗ୍ରଭାଗ ପରି ଅତି ଚଞ୍ଚଳ ହୋଇଥିବା ଗୋପୀମାନଙ୍କର ନେତ୍ରପ୍ରାନ୍ତଦ୍ୱାରା ଯାହାଙ୍କର ମର୍ମ ବିନ୍ଧି ହୋଇଛି ଏବଂ ଲାଲୁଆରଙ୍ଗ ଓ ଘୁମେଇବା ଭଳି ଦିଶୁଥିବା ନେତ୍ରଚାହାଣିଦ୍ୱାରା ସତୀମାନଙ୍କର ଅଭିମାନକୁ ଚୂନା କରୁଛନ୍ତି ଯେ କୃଷ୍ଣ, ସେ ସୁଖ ଶାନ୍ତିରେ ରଖନ୍ତୁ ।

ବ୍ରହ୍ମାଦି ଜୟସଂରୁଚି ର୍ଦର୍ପକନ୍ଦର୍ପ ଦର୍ପହା

ଜୟତି ଶ୍ରୀପତି ର୍ଗୋପୀରାସମଣ୍ଡଳମଣ୍ଡନଃ ।

ଭଗବାନପି ତା ରାତ୍ରୀଃ ଶରଦୋତ୍‌ଫୁଲ୍ଲ ମଲ୍ଲିକାଃ

ବୀକ୍ଷ୍ୟ ରନ୍ତୁଂ ମନଶ୍ଚତ୍ରେ ଯୋଗମାୟାମୁପାଶ୍ରିତଃ ।।

 

ତଦୋଡ଼ୁରାଜଃ କକୁଭଃ କରୈ ର୍ମୂଖଂ

ପ୍ରାଚ୍ୟା ବିଲିମ୍ପନ୍ନରୁଣେନ ଶନ୍ତମୈଃ ।

ସ ଚର୍ଷଣୀନାମୁଦଗାଛୁଚୋ ମୃଜନ୍‌

ପ୍ରିୟଃ ପ୍ରିୟାୟା ଇବ ଦୀର୍ଘଦର୍ଶନଃ ।।

 

ଦୃଷ୍ଟ୍ୱା କୁମୁଦ୍‌ବନ୍ତମଖଣ୍ଡମଣ୍ଡଳଂ

ରମାନନାଭଂ ନବକୁଙ୍କୁମାରୁଣମ୍‌।

ବନଂ ଚ ତତ୍କୋମଳଗୋଭିରଞ୍ଜିତଂ

ଜଗୌ କଳଂ ବାମଦୃଶାଂ ମନୋହରମ୍‌।।

 

ନିଶମ୍ୟ ଗୀତଂ ତଦନଙ୍ଗବର୍ଦ୍ଧନଂ

ବ୍ରଜସ୍ତ୍ରିୟଃ କୃଷ୍ଣଗୃହୀତ ମାନସାଃ ।

ଆଜଗୁରୁନ୍ୟୋନ୍ୟ ମଲକ୍ଷିତୋଦ୍ୟମାଃ

ସ ଯତ୍ର କାନ୍ତୋ ଜବଲୋଳକୁଣ୍ଡଳାଃ ।।

 

ଗାହାକ -

(ରାଗ- କେଦାର)

(କି କରମ କଲି ତେଜି ଯା ରହିଲି - ପ୍ରତି)

ପରକ୍ଷିତ ରାଜା ଘେନ ଦେଇ ମଜ୍ଜା

ଶରଦ ସମୟ ଘଟିଲା ହେ । ପଦ ।

କଳରୁତ ଜାତ                  ହେଲା ଅବିରତ

ଜଳରୁ କଳୁଷ ତୁଟିଲା ହେ

ଦିଶୁଁ ଚହଟିଲା                  କୁମୁଦ ଆମୋଦ

କି ସୁନ୍ଦର ହୋଇ ଫୁଟିଲା ହେ । ୧ ।

 

କରବୀର ମଲ୍ଲୀ                  ଚମ୍ପା ନବମାଳି

ମନ୍ଦାର ଯତନେ ଛୁଟିଲା ହେ

ସମାନ ବିମ୍ବରେ                  ଶସାଙ୍ଗ ଅମ୍ବରେ

ରମା ମୁଖଛଟା ଲୁଟିଲା ହେ । ୨ ।

 

ନଳିନୀ ଭିତରେ                  ଝଳି ନିରତରେ

ଅଳି ମହାମତେ ରଟିଲା ହେ

କଦନ ଦେବାକୁ                  ଯୁବତୀ ଯୁବାଙ୍କୁ

ମଦନ କେବଳ ଘୋଟିଲା ହେ । ୩ ।

 

କରିବାକୁ ରାସ                  ଉତ୍ସବ ବିଳାସ

ହରିଙ୍କ ମାନସ ହଟିଲା ହେ

ମୂରଲୀରେ ରସି                  ଡାକିଲେ ଆଶ୍ୱାସି

ରାଜଇନ୍ଦ୍ର ସେବା ଖଟିଲା ହେ । ୪ ।

 

ଶ୍ରୀକୃଷ୍ଣ -

(ବଉଳବାଣି - ପ୍ରତି)

ଆସ ରେ ଚମ୍ପକଲତା ଲଳିତା ବିଶାଖା

ରଙ୍ଗଦେବୀ ତୁଙ୍ଗବିଦ୍ୟା ରେ ସୁଦେବୀ ଚିତ୍ରା ଇନ୍ଦୁଲେଖା ରେ । ୧ ।

ମୋହିଛି ମନକୁ ସୁଧାମୟୂଖ ମାଧୁରୀ

ଦହୁଛି ମଳୟାନିଳ ରେ ମୋ ଧନ ଖେଳାଇ ବଲ୍ଲରୀ ରେ । ୨ ।

 

ଫୁଟି ମନ ମୋହୁଛନ୍ତି ଲୋଟି ନବମାଳି

ତୋଳିବ ପରା ମଜାକରେ ମୋ ଧନ ବନଯାକ ବୁଲି ରେ । ୩ ।

ଭାନୁଜା ଦିଶେ ମଞ୍ଜୁଳ କଇରବ ପୁଞ୍ଜେ

କଲେ ମନ ମଜ୍ଜିଯିବା ରେ ମୋ ଧନ କୁତୂହଳେ କୁଞ୍ଜେ । ୪ ।

 

ରାଜଇନ୍ଦ୍ର ବୋଲେ ବଂଶୀ ନିନାଦ ଶୁଣିଲେ

ଭୁଲି ନଯିବ କା ମନ ହେ ସେକାଳେ କୁଳବତୀ ହେଲେ । ୫ ।

 

ଗାହାକ -

(ଚାରୁ ଚନ୍ଦ୍ରକ୍ରୀଡ଼ାରେ -ପ୍ରତି)

ଶୁଣ ହେ କୁରୁ ରାଜନ

ମୃଦୁମୟ ବଂଶୀସ୍ୱନ

ବ୍ରଜ କଳାକେଶୀ                  ଶ୍ରୁତିବିଳେ ପଶି

ହରିନେଲା ମନ । ୧ ।

 

କାମ ମଦିରା ଅମଳେ

ବାଳାକୁଳ ଘାରି ହେଲେ

ମଦନ ବିଷୟ                  ପାଶୋରି ସେ ଲୟ

ତହିଁ ଲଗାଇଲେ । ୨ ।

 

ସହି ଏପରି ହେଲେ

କେ ସୁତକୁ ପାଶୋରିଲେ

କେ ଦଧିମନ୍ଥନ                  କେ ଅଙ୍ଗଭୂଷଣ

ବରଜି ଧାଇଁଲେ । ୩ ।

 

ନୀର ବୋଲି କେଉଁ ବାଳା

କ୍ଷୀର ତଳେ ଢାଳିଦେଲା

ପତିକୋଳ ଲୀଳା -                  ବିଳାସରେ ହେଳା

କରି କେ ଧାଇଁଲା । ୪ ।

 

ଦେଖି ତାଙ୍କ ପ୍ରିୟମାନେ

ବାଟ ଓଗାଳି ବହନେ

ଭାଷିଲେ ଭାରତୀ                  ରାଜେନ୍ଦ୍ର ନୃପତି

ଶ୍ୟାମପ୍ରେମ ଘେନେ । ୫ ।

 

ଗୋପାଳଗଣ -

(ରାତି ପାଇଗଲା ହେ ହାତି - ପ୍ରତି)

ମୋ ଧନ ରେ କୁନ୍ଦନକାନ୍ତି

କାମକଳା କମନୀୟ ମୂରତି

ବାମ ହୋଇ ମନେ            ରସ ନା ଏ ବନେ

ଯାମକୁ ବହୁତ ହେଲାଣି ରାତି । ୧ ।

 

ରଙ୍କମନା ଏ କରେ ଆଜି

ଅଙ୍କ ମୋର ଦେଇ ବରଜି

ପଙ୍କ ନିଜକୁଳେ            ଦେବାକୁ ଚପଳେ

କଙ୍କଣଶୋଭିନି ନକର ଗତି । ୨ ।

 

ବାହୁଡ଼ ରେ ଜବାଅଧରା

ବାହୁ ଡରେ ନମଣ୍ଡ ଧରା

କାହୁଁ ଏତେ ଗୁଣ                  ସମ୍ପାଦିଲୁ ପୁଣ

ଚାହୁଁ ନାହୁଁ କଲେ ହେଲେ ବିନତି । ୩ ।

 

ନାଟଲୋଳ ଖଞ୍ଜନାକ୍ଷୀଟି

ବାଟ ଭାଙ୍ଗି ନ ପଳା ଫିଟି

ରାଟ ଶୁଣି ଯେବେ                  ଆଟକ କରିବେ

ଲାଟସାର ହେବା ପାଟଳ ଜାତି । ୪ ।

 

ରମାନିଧି ବ୍ରଜତରୁଣୀ

ନମାନି ସେ ପ୍ରିୟଙ୍କ ବାଣୀ

ଭ୍ରମାଇଁ ଭାଷିଲେ                  ରାଜେନ୍ଦ୍ର ନାଶିଲେ

କମାଇଁ ଶ୍ୟାମ ସେବାକୁ ବିପତ୍ତି । ୫ ।

 

ଗୋପୀଗଣ -

(ରାଗ - ଶଙ୍କରାଭରଣ)

(କପିରାଜନ ଶୁଣିମା ହେ - ପ୍ରତି)

ଆଉ ମନା ନ କର ହେ

ଯାଉଛି ମୋ ଚନ୍ଦ୍ରମୁଖ

କାଉଚି ଅଙ୍କରେ                  ମଣ୍ଡିଥାଅ ଧୀରେ

ଆସୁଛି ନ ରଖ ଦୁଃଖ । ପଦ ।

 

ଆଜ ଧାଇଁଛନ୍ତି                  ବ୍ରଜରାଜ ଗତି

ଲାଜ ତେଜି ମନୁ ଦେଖ

ଖଟା ନାହିଁ ତୁମ୍ଭ                  କୃପାରୁ କଦମ୍ବ

ତୋଟାରୁ ଲଭିବି ସୁଖ । ୧ ।

 

ନ ଘେନ ଟାପରା                  ତୁମ୍ଭେ ମୋର ପରା

ହୃଦୟ ପଞ୍ଚବିଶିଖ

କହୁଛି ଜୁହାରି                  ଆନ ନାରୀ ପରି

ଅସତୀ କରି ନ ଲେଖ । ୨ ।

 

ମୋ ନବକିଶୋର                  ଅଛି ତ ଗୋଚର

ନବନୀତଖିଆ ଓଖ

କାନ୍ଦିବ ଯେବେଟି                  ତାକୁ ବୋଧିବଟି

ଦଣ୍ଡେ କରି କୋଳ କାଖ । ୩ ।

 

 

ଯାଅ ସଦନରେ                  ଅତି ଯତନରେ

ଦଧି ଦୁଧସର ରଖ

ବସି ଜଗିଥିବ            କେତେବେଳେ ନେବ

ଯଶୋଦା ପିଲା ମୂରୁଖ । ୪ ।

 

ଗଲେ ହେଲେ ଜୀବ            କେ କାହା ସ୍ୱଭାବ

ଛାଡ଼ଇ କଲେ ପରଖ

ଏକଥା ବିହିତ                  ହୋଇଛି ଜଗତ

ବୋଲେ ରାଜ - ଶତମଖ । ୫ ।

 

ଗାହାକ -

(ବେଗରେ ଆସ ଗୋ - ପ୍ରତି)

ରାଜନ ! ଘେନ ହେ ରସ ମାନସ ମଜ୍ଜାଇ ବଳେ

ସୁଧାରୁ ବଳେ ଏ ସ୍ୱାଦୁ ବସୁଧା ଚଳେ । ପଦ ।

ପନ୍ଥାରେ ପ୍ରିୟକୁ ସହୀ            କଥାରେ ବଞ୍ଚାଇ ଦେଇ

ସଦନ ପାଶୋରି ଗଲେ ମଦନ ଭୋଳେ । ୧ ।

 

ବନଯାକ ଖୋଜି ଖୋଜି            ସ୍ୱନ ଶୁଭିବାରେ ହେଜି

କାଦମ୍ବଗମନା ହେଲେ କଦମ୍ବମୂଳେ । ୨ ।

କି ସୁନ୍ଦର ସେ ବଦନ            ଦିଶୁଛି ବେନି ନୟନ

ଉଡ଼ିଲା ପରି ଯୋଡ଼ିଏ ଖଞ୍ଜନ ଲୋଳେ । ୩ ।

 

ଜନମାଏଁ କେଡ଼େ ଶୋଭା            ବନମାଳା ଫୁଲଗଭା

ଚାରୁ ଚନ୍ଦ୍ରକ ଚପଳ ନମାରୁଛି ହେଳେ । ୪ ।

ଚାହିଁ ମୋହନ ମୂରତି            କାହିଁ ହଜିଗଲା ଧୃତି

ମୁଖ ପୋତିଲେ ବାଳାଏ ଲାଜ ଆକୁଳେ । ୫ ।

 

ହସିଦେଇ ବଂଶୀଧର            ଭାଷିଲେ ମଧୁର ଗିର

ଚିନ୍ତିଲେ ରାଜେନ୍ଦ୍ର ତାଙ୍କ ପଦ ମଞ୍ଜୁଳେ । ୬ ।

 

ଶ୍ରୀକୃଷ୍ଣ -

(ଶ୍ୟାମନାଗର କେଡ଼େ ହଟିଆ ଗୋ - ପ୍ରତି)

କାହିଁକି ଆସିଲ ଗୋ ଘନ ବନକୁ

ନାହିଁ କି ହେଲେ ଟିକିଏ ଡର ଜୀବନକୁ ? । ପଦ ।

ଇନ୍ଦୁଲେଖା କୁନ୍ଦହାସି            ସତେ ତୁ କେଡ଼େ ସାହାସୀ

ଅରଜିବା ପଉରଷ ବରଜି ମନକୁ । ୧ ।

 

ଦୂରେ ଦେଖିଦେଲେ ମୋତେ            ପୁରେ ଲୁଚୁଥାଉ କେତେ

ଆଜ ନ ଲାଗିଲା କି ଗୋ ଲାଜ ବଦନକୁ ? । ୨ ।

ଆଗୋ ଲଳିତା ବିଶାଖା            ରଙ୍ଗଦେବୀ ଚିତ୍ରଲେଖା

ସରଜିଲ ନିଶ୍ଚେ ଅପକୀରତି ଧରାକୁ । ୩ ।

 

ଦେବୀ ଦେବତାଙ୍କ ସ୍ଥାନ            ପଡ଼ିବ ଯେବେ ନୟନ

ଜଳିଯିବ ବଳିଛ ତ ଝଳିରେ କନକୁ । ୪ ।

ଚମ୍ପକଲତା ଗୋ ତୁହି            କମ୍ପକୁ ହେଲେ ନ ବହି

ଭାଜିବୁଟି ଏ ପାଷାଣ ବାଜି ଜଘନକୁ । ୫ ।

 

ଏ ଗିରେ ବାଳା ସକଳ            ଭାଷିଲେ ଶିଖଣ୍ଡଚୂଳ

ହେଲା ଦରଶନ ରାଜଇନ୍ଦ୍ର ରାଜନକୁ । ୬ ।

 

ଗୋପୀଗଣ -

(ନାହିଁ ତୁମ୍ଭ ଶୁଭ ଏଣିକି ଗୋ - ପ୍ରତି)

କଳା ଇନ୍ଦୀବର ମୂରତି ହେ

ବାଳା ନେତ୍ର ନୀଳବରତି ହେ । ପଦ ।

କାହିଁକି ଆସିଲ            ବୋଲି ଯେ ଭାଷିଲ

ପେଟେ କୂଟ କରି ଭରତି ହେ । ୧ ।

 

ମଧୁର ମାଦକ ଖିଆଲ ବାଣୀ

ଶୁଣି ସୁଖୀ ହେବୁ ମନରେ ଗୁଣି

ଆସିଛୁ ସୁମନା            ନ ଭାଙ୍ଗ କାମନା

ନାଶି ସୁତ ପତି-ପୀରତି ହେ । ୨ ।

 

ରାତି ଆସି ଏବେ ହେଲାଣି ଅଧ

ହାତି ହେ ନକର ନିରାଶେ ସଧ

ହେ ଶିଖିଚୂଳିଆ                  ମଦନମେଳିଆ

ଦାସୀଙ୍କ ହେଲାନି କରତି ହେ । ୩ ।

 

ରସିକ-ମଣ୍ଡଳି-ମଣ୍ଡନ-ବାନା

ଉଡ଼ିବାଠାରେ କରିଦେଇ ଚୂନା

ଲୋଡ଼ିବାର ଭଲ                  ନୁହଇ ଛଇଲ

ନାରୀ ମାରିଦେବା କୀରତି ହେ । ୪ ।

 

ଏ ଗିରେ ଭାଷିଲେ ନାଗରବର

ଗେଲେ ତାଙ୍କ ପଦ କରି ଜୁହାର

ରାଜଇନ୍ଦ୍ର ଦେବ            ଏ ରାସ ଉତ୍ସବ

ଗୀତ ହୋଇବାକୁ ସ୍ଫୁରତି ହେ । ୫ ।

 

ଶ୍ରୀକୃଷ୍ଣ -

(ପଚାର କେ ଆସିଛି ଏ ଜଗତିକି - ପ୍ରତି)

ଧନ ଘନକେଶାମାନେ

ଯାଅ ଯାଅ ଘେନି ମୋର ବାଣୀ ଗୋ । ପଦ ।

ଗତିକରି କଦମ୍ବମୂଳ

ଅତି ମୋଦେ ହରୁଛି କାଳ

ମୂରଲୀ ବଜାଇ                  କା’ନାମେ ମଜ୍ଜାଇ

କେବେହେଲେ ଡାକି ଆଣିନାହିଁ ରେ । ୧୦ ।

 

ତୁମ୍ଭେ ପରା ଧୀରା ବିବେକୀ

ତେଜିଦେଇ ନିଜ ପତିଙ୍କି

ଲଗାଇଛ ଏ କି            ମୋତେ ଦେଇ ସାକ୍ଷୀ

ଦଗାଦାର ଦାଗ ଜାଣିଜାଣି ରେ । ୨ ।

 

ଜାତି କୁଳ ସୁତ ଉପେକ୍ଷି

ରାତିରେ ଯେ ଆସିଲ ଦେଖି

ମାମୁଁ ମୋର କଂସ            ଶୁଣିଲେ ଏ ରସ

ଛାମୁଙ୍କୁ କେବଳ ନେବ ଟାଣି ରେ । ୩ ।

 

ବୁଲି ବୁଲି ଦେଖ ବନକୁ

ତୋଳି ତୋଳି ନାନା ସୁନକୁ

ସୁଖ ସମ୍ପତ୍ତିରେ                  ହରଷମତିରେ

ମୁଖ ପଖାଳି ଯମୁନା ପାଣିରେ । ୪ ।

 

ଏ ବଚନେ ସକଳ ସହୀ

ଭାଷିଲେ ସେ ବିରସ ବହି

ରାଜଇନ୍ଦ୍ର ଚିତ୍ତ                  ମଜ୍ଜିଲା ନିରତ

କୃଷ୍ଣଚନ୍ଦ୍ର ପାଦପଦ୍ମ ଠାଣିରେ । ୫ ।

 

ଗୋପୀମାନେ -

(କରୁଣା ଯୁଡ଼ା ବାଦେରା - ପ୍ରତି)

ମହୀମୋହନ ଖିଆଲି                  ନୋହିଲା ଏ ଚାଲି

ହରି ନେଲା ହୃଦୟରୁ କରୁଣା କରି କେ ଖାଲି । ପଦ ।

ଆସିଲୁ ବୋଲି ପାଶକୁ                  ‘ଯା’ ସିଲଦିଅ ‘ବାସକୁ’

ଚାହିଁବୁ କାହାର ମୁଖ ଯାଇ ବ୍ରଜପୁରେ କାଲି ? । ୧ ।

 

ଅନାଅଁ ହେ ବଂଶୀଧର                  ଘନାଘନ ବଂଶୀକର

ତନୁଟିକି ଫୁଲଶରେ ଅତନୁ କଲାନି ଜାଲି । ୨ ।

ପରଷି ଭୋଜନ ବେଳେ                  ଭରସି ଭୁଞ୍ଜିବା ବେଳେ

ହରଷିତ ହୋଇ ତହିଁ ବରଷି ଦେବାର ବାଲି । ୩ ।

 

ଥାଉ ଏହି ଅବଧାନ                        ଯାଉଛୁ ଯାଉଛୁ ଧନ

ଆଉ ସହି ନପାରୁ ଏ ଠାଉକିଆ ଗିର ଭାଲି । ୪ ।

ରାଜଇନ୍ଦ୍ର ଦେବ କହେ                  ହରିଣୀ ବଶ କି ନୋହେ

ଲାଗିଲେ ଶ୍ୟାମ ବିନୟ ରସ କଉତୁକ ଡାଲି ? । ୫ ।

 

ଗାହାକ -

(ବୋଲେ ଲକ୍ଷ୍ମଣ ଶୁଣ ଚାପଧର - ପ୍ରତି)

ଶୁଣ ହେ ନୃପତିକୁଳ ଚନ୍ଦ୍ରମା            ଖୁଣ ନ ଥିବାର ଗୁଣବନ୍ତ ବାମା

ଭଣି ଏମନ୍ତ ଭାଷ

ପୁଣି ବିକଳେ ଉଡ଼ିଲା ସାହସ । ୧ ।

 

ବୁହାଇ ନୟନୁ ଲୋତକଧାରା            ଧୁଆଇଲେ ଏକା କଜ୍ଜ୍ୱଳଗିରା

ଧରା ଚିରିଲେ ବସି

ହରାରାତି ଶରେ ହୋଇଲେ ଭୁଷି । ୨ ।

 

ବସନ ହୋଇଲା ଭାର ବିଶେଷ            ଶୁସନ କେବଳ ମଣିଲେ ବିଷ

ଶଶିକିରଣମାଳା

ଇଷିତରେ ତାଙ୍କୁ କି ଦଣ୍ଡ ଦେଲା । ୩ ।

 

କାହାର ଆଉ ନ ରହିଲା ଚେତା      ବାହାରିଲା ନାହିଁ ବଦନୁ କଥା

ପଡ଼ିଗଲେ ମହୀରେ

ଝଡ଼ିଲା ବାସି କୁସୁମ ପ୍ରକାରେ । ୪ ।

 

ଅନାଇଁ ଏ ରୀତି ଶିଖଣ୍ଡଧର            ମନାଇଁ ଭାଷିଲେ ମଧୁର ଗିର

ରାଜଇନ୍ଦ୍ର ରାଜନ

ହାଜର ହେବାକୁ ହେଲେ ଭାଜନ । ୫ ।

 

ଶ୍ରୀକୃଷ୍ଣ -

(ଶ୍ରୀରାମ ନାରୀ - ପ୍ରତି)

ରେ ରସାଳସା !

ଛାଡ଼ ମୋ ବନ୍ଧୁ ଆଡ଼ରୁଷା । ପଦ ।

କଥାକୁ ସିନା ସହି                  ଏପରି ଦେଲି କହି

ଧୂଳି ଧୂସର ଧରାବସା ରେ । ୧ ।

 

ବଳ ଯା ଠାରେ ଥାଇ            ତାକୁ କି ନ ବୋଲଇ

ଏଥିରେ ଏକା ଏଡ଼େ ରୁଷା ରେ । ୨ ।

ଏ ବ୍ରଜଭୁବନରେ            ବୋଲନ୍ତି ପରା ନରେ

ମୁଁ ତୁମ୍ଭ ପିଲାକାଳୁ ପୋଷା ରେ । ୩ ।

 

ମୋ ଧନ ହେଲା            ମାନୁନାହିଁ ଛଇଲା

ଗଣ୍ଡେ କରକମଳଠେସା ରେ । ୪ ।

ଆସ ଆସ ଅଙ୍କକୁ            ମିଳିଯାଉ ରଙ୍କକୁ

ଅନଙ୍ଗ ସଙ୍ଗର ପ୍ରଶଂସା ରେ । ୫ ।

 

ଶୁଣି ଏ ମୃଦୁ ଗିର            ସହୀ ଦେଲେ ଉତ୍ତର

ଶ୍ୟାମଙ୍କୁ ବୋଲେ ରାଜବୃଷା ରେ । ୬ ।

 

ଗୋପୀମାନେ -

(ସରିଗଲା ଶିରିଷାଙ୍ଗୀ - ପ୍ରତି)

ହେ ଯୁବରାଜା ବୁଝୁଥିଲ ପରା ମଜ୍ଜା । ପଦ ।

ଟାଣି ଆଣିଲ ଏ            ବନକୁ ରାତିରେ

ଛାଣି ହୃଦୟରୁ ଲଜ୍ଜା,

ରୀତିକି ତୁମ୍ଭର            ବଳେ ତ ମୂରଲୀ

ପ୍ରୀତିଗୀତଲଗା ବଜା ଯେ । ୧ ।

 

ଖଣ୍ଡଦରପଣ            ଗଣ୍ଡଝଳି ଆହେ

ରୁଣ୍ଡ ହୋଇ ତରୁଣୀ ଯା

ମୁଣ୍ଡ ମାରି ପଦେ      ଗୁଣ୍ଡ ହେଲେ ହେଲେ

କଲ କେତେ ତୁଣ୍ଡବଜା । ୨ ।

 

ଘରବୁଡ଼ା ରୁଚି            ବଚନ ତ ଶାଚି

ସରବୁଡ଼ା ମୃଦୁ ଖଜା

ଚଖାଇ ଅଳପ            ରଖାଇ ନଦେଇ

ଦେଖାଇ ପଛେ ଭାନୁଜା । ୩ ।

 

ମୁଲକମୋହୀ            ଇଙ୍ଗିତୁ ଶ୍ୟାମ

ତନୁ ହୋଇଲା ଗଜା

କର ଧରି ଗେଲେ            କହିଗଲେ ବୋଲେ

ନରେଶ ବିଡ଼ୋଜା । ୪ ।

 

ଶ୍ରୀକୃଷ୍ଣ -

କୁନ୍ଦଦଶନା ମନ୍ଦହସନା ନୀଳବସନା । ପଦ ।

ଛୁରୀଅନା କୁସୁମ ପୂରି            ଫୁଟିଛି ଚାହାଁ ଜୁରି

ନେବଟି ଧୃତିଖୁରି କରେ ମୂଲାନା । ୧ ।

 

ରାଧା -

ହେ ଶ୍ୟାମ ଗୋରା ମୂରଲୀଧରା ଦୁଃଖପାଶୋରା । ପଦ ।

ନାଗେଶ୍ୱର କଳିକା ଆଗେ            ମଞ୍ଜୁଳ ଦିଶେ ମାଗେ

ଲଳିତା ଅନୁରାଗେ ନୟନକାରା । ୨ ।

 

କୁନ୍ଦଲତା, ଶ୍ରୀକୃଷ୍ଣ -

ଖଣ୍ଡିଛି କିଶଳୟ ମଣ୍ଡିଦେବିକି କେଶେ

ପଣ୍ଡିତାମଣି ହୀରାଦଣ୍ଡି ଆଉ ହଲାନା । ୩ ।

 

ରାଧା -

ହେ ଶ୍ୟାମ ମନୁ ନଯାଏ ତୁମ୍ଭ ତନୁ ସମ ଅତସି ବନୁ

ତୋଳିଛି ନିଅ ଧନଟି ହୃଦୟହାରା । ୪ ।

 

କୁନ୍ଦଲତା, ଶ୍ରୀକୃଷ୍ଣ -

ଗୀତଗାନେ ମୋ ପ୍ରାଣମିତ ନିଆଳି ତୋଳି

ନିତମ୍ବ ବିମ୍ବ ଚାଳି ଚିତ୍ତ ମୋର ଭୁଲାନା । ୫ ।

 

ରାଧା -

ହେ ଶ୍ୟାମ ହାତିହେ ଏ ସୁନ୍ଦର ଛାତିକି ଭଲା ମାନେ

ଜାତୀ କୁସୁମମାଳା ରାତିକି ନେତ୍ରକାରା । ୬ ।

ରାସ ରଚିଲେ ରାଜ ବାସବ ବୋଲେ ପ୍ରତିଭାଷ

      ସେ କଲେ ଶ୍ୟାମେ ହାସ କରି ରଚନା । ୭ ।

 

ରାଧା -

(ଟେକି ଚାହାଁ ତୁ ମନ - ପ୍ରତି)

ଆହେ କଳାକିଶୋର ମୂରଲୀଧର

କୁନ୍ଦରଦନି-ହୃଦ-ଚନ୍ଦନ            ବ୍ରଜପୁର ସୁନ୍ଦରବର

ନୀଳନିନ୍ଦନ ଘନ ତନୁ । ପଦ ।

କାହିଁ ମୋ ହାରା ନୂଆ ଛଇଲ      ନାହିଁ ନାହିଁ ମା ସତେ ଏ କି ଗେଲ

ବାଜିବ ଯେବେ ମୋର ରାଜୀବ ପଦ ମୁଦି

ଭାଜିବ ସବୁ ସୁଖ ପାଜି ମଦନ ରଣେ । ୧ ।

 

ଶ୍ରୀକୃଷ୍ଣ -

ଆରେ ମନମୋହନା ଆଉ କହନା

ପଙ୍କଜ ଦରପଣ ରଙ୍କବିହୀନ

ଶଶଅଙ୍କବଦନି ଶଙ୍କର ଖେଦନିଧି । ପଦ ।

ଗଣ୍ଡେ ଦିଅ ତୁ ରଦନ ଚିହ୍ନ

ମଣ୍ଡେ ତୋ ତନୁ ନଖ ଲାଞ୍ଛନ

ହାରେ କି ଅଛି ଶରଧା ରେ                  କୁଚକୁ ଲଦି ଧାରେ

ଅଧରମଧୁରା ରେ ଦେଇ ତୁ ତୋଷ । ୨ ।

 

ରାଧା -

ପାନ କଳୁ ନନିଅ ମୋହର

ଆନ ଅଛି ଶିଖଣ୍ଡଶେଖର

ଯାବକ ଦ୍ରବ ରସ ହାବ            କୁତୁକ ଏହି ଲାଭ

ହେଟି ମନେ ଭାବ ରସିକାମଣି । ୩ ।

 

ଶ୍ରୀକୃଷ୍ଣ-

ଝରା ଝୁଲାଇ ଧରାମଣ୍ଡନା

ପରାପତି କର ମୋ କାମନା

ନାଟରସରେ ଚଳୁ            ପାଟବ ମୋତି ସୁର-

ରାଟ ପଦବୀ ହରୁ ହାଟକଗୋରୀ ମୋର ।୪।

ଆରେ ବୋଲେ ରାଜନ

କଲେ ଏପରି ରାସ ବିଧାନ

ଜାଗର ବଶେ ଅନୁ-            ରାଗରେ ସୁରଜନୀ

ଭାଗକୁ ନେଲେ ରସସାଗରେ ମଜ୍ଜି ସେ ।୫।

 

ଗାହାକ-

(ଉଠିଲେ ହୋଇ ପ୍ରମୋଦ-ପ୍ରତି)

ହେ ନରେଶକୁଳ ମୋତି            ଘେନି ଏ ଚରିତ ରୀତି

ସେ ନବସୁଧାରୁ ବଳେ ମଧୁର ଅତି ଦେଇ ମତି ।୧।

ଲାଗିଛି ରାସ ବିଳାସ            ଭାଗିନାହିଁ କା ମାନସ

ବୃନ୍ଦାବତୀ ଧରି ହରି ହେଲେ ଅଦୃଶା ଏକାଳେ ଯେ ।୨।

 

ବାଳା ସଙ୍ଗେ ବୁଲି ବନେ            ଆଳାପି କୁତୁକମନେ

କଳାପଚୂଳିଆ କଲେ ବେଶ ବହନେ ଠାବେ ଠାବେ ।୩।

ଯେତେକ ତା ଭାବ ଥିଲା            ସେ ତରୁଣୀମଣି ଦେଲା

ଶ୍ୟାମଙ୍କ କାମକାମନା ସବୁ ପୂରିଲା ଯତନେ ଯେ ।୪।

 

ପୁଣି ଯାଉ ଖଣ୍ଡେ ଦୂରେ            ମଣିଲା ଗର୍ବ ମନରେ

କହିଲା ରାଜେନ୍ଦ୍ର ଭଣେ ଶ୍ୟାମ ଗାନରେ ହରଷରେ ।୫।

 

ବୃନ୍ଦା-

(ରାଗ-ପୁନ୍ନାଗ)

ହେ ମୋହନ ଚାଲି ମୁଁ ନପାରେ

ହାଲିଆ ହୋଇ କ୍ଷପାରେ ।ପଦ।

ସୁଭାଗିନୀଗଭା ହେଲି ବ୍ରଜ ସୁରୂପା ରେ

ଦେବୀଙ୍କ କଟାକ୍ଷ            ଖେଳା ବିଳାସରୁ

ସେବିଲି ଜଳଜପାରେ ।୧।

 

ଭାସିଗଲିନି ମୁଁ ଆସି ଖେଦ-ଅକୂପାରେ

କରିବି କି ବିଧି            ଦିଶୁନାହିଁ ବୁଦ୍ଧି

ତରିବାକୁ ଆଉ ପାରେ ।୨।

ଆସୁନାହିଁ ବୋଲିବାକୁ ଭାଷଟି କ୍ରପାରେ

ଭଙ୍ଗୀରଙ୍ଗିଲା ହେ            ଦିଅ ଦିଅ ସିଲ

ଅଙ୍ଗୀକାରକୁ କୃପାରେ ।୩।

 

ଏହିକ୍ଷଣି ଗରବ ସରିବ ଏଥି ପାଁରେ

ରାଜଇନ୍ଦ୍ର ବୋଲେ            ସେ ଶ୍ୟାମ ଭାଷିଲେ

କପଟ ରଖି ଅପାରେ ।୪।

 

ଶ୍ରୀକୃଷ୍ଣ-

(କଳାକେଶୀ ରେ ବାଳାମଉଳିହୀରା-ପ୍ରତି)

ଆସ ଆସ ରେ ଶ୍ୟାମ ଚାମରକେଶୀ

କାମକମନୀୟ କଳାବିଳାସୀ ।ପଦ।

ରଙ୍ଗତୁଟ ଅଧର ହେଲା

ଅଙ୍ଗଛଟା କାହିଁ ଲୁଚିଲା

ଫାଟିପଡ଼ି ପଦ            କାଟିବନି ବନ୍ଧୁ

ଘାଟିଚଲା ଶ୍ରମୁ ଚାଲୁ ସାହସୀ ।୧।

 

ନବନୀତ କୋମଳ ବଲ୍ଲୀ

ଅବନୀରେ ନପାରୁ ଚାଲି

ଶୁଆଶାରୀ ପଢ଼ା            ସୁଆଦଘେନା କି

ଉଆସମଣ୍ଡନା ନୂଆ ସୁହାସୀ ।୨।

 

ଚାହିଁ ତୋର ବିକଳ ରୀତି

କାହିଁ ହଜିଯାଉଛି ଧୃତି

ଆହା ଧନ ମୋର            ସ୍କନ୍ଦେ ବିଜେ କର

ଯାହା ବୋଇଲେ ତୁ ଦେବି ତଲାସି ।୩।

 

କଣ୍ଠୀରବ କଟିକି ଭିଡ଼ି

ଗଣ୍ଠି କର ବାସ ନିବାଡ଼ି

ଯିବା ଚାଲ ଚାଲ            ନାଗେଶ୍ୱର ଫୁଲ

ତକିଆପକା କୁଞ୍ଜକୁ ସୁବାସି ।୪।

 

ମନେ ବୃନ୍ଦା ଭାଗ୍ୟ ମଣିଲା

ବନେ ରସିଯିବି ଭଣିଲା

ରାଜଇନ୍ଦ୍ର ଦେବ            ଏରାସ ଉତ୍ସବ

ବୋଲେ ଶ୍ୟାମଚନ୍ଦ୍ର ସେବା ମନାସି ।୫।

 

ଗାହାକ-

(ଚାହିଁଲୁ ଆଜ ମୋ ଧନ-ପ୍ରତି)

ଘେନ ହେ ନରେଶ ରସ ମାନସ ମଜ୍ଜାଇ ।ପଦ।

ଛଇଲି ମଣ୍ଡନ ମଣି            କହି ଏ ଅମୃତ ବାଣୀ

ବହି ବିନୟ ସହୀକି ଦେଲେ ସମଜାଇ ।୧।

 

ଜାଣି ଶ୍ୟାମ ଅଙ୍ଗୀକାର            ଆଣି ମନେ ଗର୍ବ ତାର

ଭାଳିଲା ହେଲି ସୁମନା-ଶିର-ସୁନା-ଜାଈ ।୨।

ଏକାଳେ ମନମୋହନ            ସ୍କନ୍ଦେ ଧରି ବହନ

ଖଣ୍ଡେ ଦୂରେ ଛେଚି ଲୁଚିଗଲେ ବନେ ଯାଇ ।୩।

 

ଅନାଇଁଦେଲା ରସିକା            କେ ନାହିଁ ହୋଇଲା ଏକା

କାହାର ହେଲେ କି ଚେତା ରହିବକି ନ ଯାଇ ।୪।

କାନ୍ଦିଲା ବିକଳେ ଅତି            ବୋଲେ ରାଜ-ବଳାରାତି

ଲୋଡ଼ି ଆଣିଲା ବିପତ୍ତି ମନକୁ ଖୋଜାଇ ।୫।

 

ବୃନ୍ଦା

(ରାଗ-ବଙ୍ଗଳାଶ୍ରୀ)

ହେ କଳାକିଶୋର ମୋର ନୀଳମଣିମାଳା ହେ

କାହିଁ ବିଜେକଲ ବନେ କାଟିଦେଇ ଗଳା ହେ ।ପଦ।

କିକରିବି ଏବେ ରାସରସ ଲୀଳାନିଧି ହେ

ଆସ ଆସ ଆଉ କିଛି ଦିଶୁନାହିଁ ବୁଦ୍ଧି ହେ

 

ବାଇପରି ହୋଇ ପଳାଏ ଧାଇଁ

ବାଇ ବେଣୁ ବାରେ ରଖ କହ୍ନାଇ

ବଞ୍ଚିବ କେହି ସେ ନବ ଅବଳା

ମୁଞ୍ଚିଲ ଯେ ନନ୍ଦରତନବଳା ।୧।

 

ଆସିଲି ବୋଲି ତୁମ୍ଭର ସ୍ନେହେ ହୋଇ ବିକା ହେ

ନାଶିଲ ସୁଖ ରାତିରେ କରି ମୋତେ ଏକା ହେ

ଦେଲ ଯେ ବିପତ୍ତି କୁଞ୍ଜବିଳାସୀ

ଗେଲ କି ଏ ଗଲା ଉତ୍ତାରୁ ଭାସି

ଦେଖାଅ ମୁଖ ନରଖି ଗୋଳିଆ

ଶ୍ୟାମ ମୂରତି ହେ ଜାମୁଡ଼ାଳିଆ ।୨।

 

ଉଡ଼ିଲା ଆସି ସାହସ ଲୋଡ଼ି ଲୋଡ଼ି ଛନ୍ନେ ହେ

ଯୋଡ଼ିଏ ହେଲେ ମୋ ଡ଼ାକ ନପଡ଼ିଲା କାନେ ହେ

ଜହର କେ ହେଲେ ଦିଅନ୍ତା ଆଣି

ସହର ଏ ନୁହେ ମୁରଲୀପାଣି

 

ଅଳପ କଟାକ୍ଷ ଖେଳାଅ ଖରେ

ତଳପତୋଳା ଦାସୀଟା ଉପରେ ।୩।

 

କାନ୍ଦି କାନ୍ଦି ବୃନ୍ଦାବତୀ ହୋଇଲା ମଉନ ଯେ

ଏକାଳେ କ୍ରୀଡ଼ାରେ ଥିବା ବ୍ରୀଡ଼ାବତୀ ଜନ ଯେ

କୃଷ୍ଣଙ୍କୁ ତହିଁ ନ ଦେଖି ନୟନେ

ଖୋଜିଲେ ବିକଳେ ଯମୁନାବନେ

ସଖୀକି କେ ଚାହିଁ ଭାଷିଲା ଭାଷ

ବୋଲେ ବିଶ୍ୱମ୍ଭର ରାଜ-ସୁରେଶ ।୪।

 

ଗୋପୀ-

(ଦେଖ ବାଳା ଜନମ ହୋଇଲା-ପ୍ରତି)

ପଚାର ଗୋ ପଚାର ସୁକେଶା ।ପଦ।

ମଲ୍ଲୀ ମାଧବୀ ମାଳତୀ            ଫୁଟି ମନ ମୋହୁଛନ୍ତି

ଫୁଲରସିଆ ସେ ଶ୍ୟାମ ଆସିଥିବେ ଏହୁ ଆଶା ।୧।

ଯୂଥିକା ଗୋ କୁରୂବକ            ମଣୁଛନ୍ତି ଆମ୍ଭ ଶୋକ

ଭଣ୍ଡିବେକି ସେ ମୋହନ ମଣ୍ଡିଥିଲେ ତାଙ୍କ ରସା ।୨।

ଆମ୍ବ କଦମ୍ବ ମନ୍ଦାର            କରିବେକି ପରିହର

ଦେଖୁଛନ୍ତି ନେତ୍ର କଷା ନଥାଇ ବୁଲିବା ଦଶା ।୩।

ଯମୁନାକୂଳ ବକୁଳ            କହିବା ସକଳ ଛଳ

ନିତ୍ୟ ସଙ୍ଗୀଏ ମୋହିବ କେହି ଆମ୍ଭ ଲୋକହସା ।୪।

ମୃଗିଏ ଦେଖୁ ଏକାଳେ            କହିଲେ ତାକୁ ବିକଳେ

ରାଜେନ୍ଦ୍ର ଦେବ ଶ୍ରୀହରି କଥାରେ ଦେଲେ ମନୀଷା ।୫।

 

ଗୋପୀ-

(ପାଦପଦ୍ମ ମୋହୁଛି ମନ-ପ୍ରତି)

ଆଗୋ କୁରଙ୍ଗି

ଦେଖିଲୁକି ମୋହନ ଭଙ୍ଗୀ ? ।ପଦ।

ଡ଼ାକିଆଣି ନିଶୀଥରେ            ଦେଇ ସେ ମନଥରେ

ତେଜି ଏ ବନପଥରେ            କାହିଁ ଗଲେ କହ ଥରେ ।୧।

ସଙ୍ଗେ ଘେନି ଏକ ବାଳା            ରଙ୍ଗେ ରଚି ଫୁଲତୋଳା

ଅଙ୍ଗେ ତାର ମଣ୍ଡି ମାଳା            କଲେ କି ଗୋ ଏ ଅଲୀଳା ।୨।

 

ଚାହାଁ ଚତୁରୀରତନ            ରାହାରେ କେଡ଼େ ଯତନ

ଆହା ପାଦପଦ୍ମ ଚିହ୍ନ            କାହାର ମୋହେ ମନ ? ।୩।

ସହୀକି ସେ ପୀତବାସ            କହି କେତେ ରସ ଭାଷ

ବହିଥିବେ ଫୁଲବେଶ            ରହିଛି ସେ ଘେନି ବାସ ।୪।

 

ସକଳେ ବିକଳ ହୋଇ            ଯମୁନା କୂଳେ ସେ ଯାଇ

ହେଲେ କୁହାକୁହି ତହିଁ            ରାଜେନ୍ଦ୍ର କୁଷ୍ଣ ଧ୍ୟାଇ ।୫।

 

ଗୋପୀ-

(ଆଗେ ଅଭିନ୍ନା ଛୁରୀଅନା କିଶୋରୀ-ପ୍ରତି)

ଆଗୋ କେଳୀକଳାକୁଶଳା ଛଇଲା

ଦେଖ ସାକ୍ଷାତ ଶ୍ୟାମ ସମ ହୋଇଲା ।ପଦ।

ସୁକେଶି ଅନା ଅନା                  ସେ କେଶୀ-ପ୍ରାଣଘେନା

କ୍ଷୀରପାନେ ପୋତାନାକୁ ଏ ମାଇଲା । ୧ ।

 

ସକଳ ଗୋପବାସୀ                  ପଶୁଁ ଶରଣ ଆସି

ନଖଶିଖେ ଗୋବର୍ଦ୍ଧନକୁ ଧଇଲା । ୨ ।

କାଳିନ୍ଦୀ ଜଳେ ପଶି                  କାଳୀୟ ବଳ ନାଶି

ବାଳୀ, ଢଳି ବଂଶୀରେ ଗୀତ ଗାଇଲା । ୩ ।

 

ହରି ନେଇ ବସନ                  କରି କେତେ ଯତନ

ପୀନ ଉପରେ କି ରଙ୍ଗରେ ଥୋଇଲା । ୪ ।

ରାଜଇନ୍ଦ୍ର ଦେବ                  କୃଷ୍ଣ ପଦପଲ୍ଲବ

ଅନବରତେ ମନ ଦେଇ ଧ୍ୟାଇଲା । ୫ ।

 

ଗାହାକ -

(ପଥେ ଶବରୀଏ ଚାହିଁ - ପ୍ରତି)

ଘେନ ହେ ଏ ନବରସ

ହେ ନରକେଶରୀ-ହୀରା । ପଦ ।

ଅର୍ଯ୍ୟମାଜେମାର କୂଳେ            ଗୋପୀଏ ପ୍ରାଣ ଆକୁଳେ

ଶ୍ୟାମଙ୍କୁ ନଦେଖି ନେତ୍ରେ କାମଶରେ ଗଲେ ମରା । ୧ ।

 

ସହୀ ଝାମ ବହିବାରେ            ସେହି ଭାବ କହିବାରେ

ରହିଲା ନାହିଁ ଆୟତ୍ତ ବହି ନେତୃ ନୀରଧାରା । ୨ ।

କେବଳ ବଢ଼ିଲା ଶୋକ            ଚୌବଳ ହେଲା ଅଧିକ

ନରୁଚିଲା ସରୁବାସ ଅରୁଚି ହୋଇଲା ହାରା । ୩ ।

 

ପାଇ ପୁଣି ଚେତା ଭଲେ            ଯାଇ ସେ ବନେ ଖୋଜିଲେ

ପଡ଼ିଛି ତହିଁ ଦେଖିଲେ ତଡ଼ିତାଙ୍ଗୀ-ମଥାଝରା । ୪ ।

ଭାଷିଲେ ତାହାଙ୍କୁ ବାଣୀ            ନାଶିବାକୁ ପାପଶ୍ରେଣୀ

କରେ ରାଜଇନ୍ଦ୍ର ଦେବ ଶ୍ରୀହରି ପଦ ଆଶରା । ୫ ।

 

ଗୋପୀମାନେ -

(ସଖି ରେ ମୁଁ କି ହୁଡ଼ିଲି - ପ୍ରତି)

ଧନ ରେ କାହିଁକି ଏହା

ବନରେ ପଡ଼ିଛ ଏକା ମନରେ ନାହିଁ ଉତ୍ସାହା । ପଦ ।

ଥୟ ନୋହୁ ବୀଣାବାଣି            ନୟନୁ ବୁହାଉ ପାଣି

କଥା ତ ନକହୁ ପଦେ ବ୍ୟଥା କି ଲଭିଲୁ ଆହା । ୧ ।

 

ପ୍ରହର ହେଲା ରଜନୀ            ରାହାରେ ଆସିଲୁ ଘେନି

କପଟିଆ କୁଳବତୀ-ଲମ୍ପଟିଆ ନୀଳବାହା । ୨ ।

ମୁଞ୍ଚି ଆମ୍ଭର ପୀରତି                  ଲୁଚି ଯେ କଲୁ ସୁରତି

ହେଲା କି ଉଚିତ ସତେ ରେ ଲାବଣ୍ୟ ସୁନାଦେହା । ୩ ।

 

ଉଠ ହେଲା ଯିବା ଚାଲ            ଶଠଙ୍କୁ ଖୋଜିବା ହାଲ

କିହେବ ବିକଳ ହେଲେ ବିହି ଲେଖିଅଛି ଯାହା । ୪ ।

ଏ ବଚନେ ବୃନ୍ଦାବତୀ            କାନ୍ଦି ଭାଷିଲେ ଭାରତୀ

ରାଜଇନ୍ଦ୍ର ବୋଲେ ଦୁଃଖ ପାଇଲେ ରହେ କି ଚାହା ? । ୫ ।

 

ବୃନ୍ଦା -

(ଆରେ କିଶୋରି ବରଜିଲୁ କିପାଁ ଶ୍ରୀହରି - ପ୍ରତି)

ଆଗୋ ସୁଭାଙ୍ଗି

ଦେଖିଲୁକି ମୋହନ ଭଙ୍ଗୀ ?

ଆଣି ଘୋର ବନପଥେ ଜାଣି ସୁଖ ଦେଲେ ଭାଙ୍ଗି । ପଦ ।

ମୋତେ କି କଥା ଜଣା            ସତେ କି ପୀୟୂଷ ପଣା

ଚାଖି ମୁଁ ହୋଇଲି ବାଇ ଆଖି ଅଭିନୟେ କିଣା । ୧ ।

 

 

ବାସୁଛି ନାନା କୁସୁମ            ଆସୁଛି ତୋଳି ମୁଁ ଧନ

ସହି ଲୁଚିଗଲେ କାହିଁ କହି ବିନୟ ବଚନ । ୨ ।

ଆଉ ନାହିଁ ମଜ୍ଜାବଳ            ଯାଉଛି ପ୍ରାଣ କେବଳ

କାହା ମନ ଥିଲା ଆହା ଯାହା କଲେ ଶିଖିଚୂଳ । ୩ ।

 

ଲାଲ ସିନା ହେବ ଆଶା            ଚାଲ ଗୋ ଖଞ୍ଜନଦୃଶା

ଯୋଡ଼ି ଯୋଡ଼ି ହୋଇ ଏଥେ ଲୋଡ଼ିବା ଏ ବନ ରସା । ୪ ।

ବୋଲି ବୋଲି ଏହି ବାଣୀ            ଖୋଜିଲେ ବ୍ରଜ ତରୁଣୀ

ରାଜଇନ୍ଦ୍ର ଚିନ୍ତି ବୋଲେ ଆଜନମୁ ଶ୍ୟାମଠାଣି । ୫ ।

 

ଗୋପୀମାନେ -

(ରାଜୀବାନନୀ ମୋ ଧନି - ପ୍ରତି)

ଆସ ହେ ରାସମଣ୍ଡନ      ହସ ହସ ହୋଇ ଥରେ । ପଦ ।

ଚାହିଁ ଆମ୍ଭର ଏ ଦାଉ            କାହିଁକି ଲୁଚିଛ ଆଉ

ଏ ଘନ ବନପଥରେ । ୧ ।

 

ଗାନ ମୂରଲୀରେ ବହି            ଆନନ୍ଦ ଦିଅ ଦେଖାଇ

କୃପାକରି ଅନା ଥରେ । ୨ ।

ସରିଗଲୁ ଆସି ଧନ            ମରିବୁ ନିଶ୍ଚେ ମଦନ

କଦନୁ ଏ ଦେହ ଥରେ । ୩ ।

 

ଫୁରଣାରେ ଫୁଲବେଶେ            କରୁଣା ଚାହାଣି ରସେ

ବିଳସ ମୃଦୁ ମନ୍ଥରେ । ୪ ।

ରାଜଇନ୍ଦ୍ର ଦେବ ବୋଲେ            ବିଭୁ କଟାକ୍ଷ ନଥିଲେ

କି ଅଛି ମନୋରଥରେ ? । ୫ ।

 

ଗାହାକ -

(ଜାଣିଲି ଅତି ବିଷମ ନେତ୍ରପୀରତି - ପ୍ରତି)

ହେ ନରେଶ,

ଘେନ ଏଥୁଅନ୍ତେ ରସ । ପଦ ।

ସକଳ ଛଇଲି            ବନଯାକ ବୁଲି

ମନୁ ତେଜି ଶ୍ୟାମ ଆଶ

ଯମୁନାର ତୀରେ            ବିରସମତିରେ

ବସିଲେ ହୋଇ ପ୍ରବେଶ ।୧।

 

ଏକାଳେ ଶ୍ରୀଧର            କଲେ ଜରଜର

ଦୟାରେ ନିଜ ମାନସ

ଆହା କି ସୁନ୍ଦର            ହୋଇଲେ ବାହାର

ବହି ନାନା ଫୁଲବେଶ ।୨।

 

ଶୁଭୁନାହିଁ ପଦ            ନୂପୁର ଶବଦ

ମୁଖେ ଧରି ମନ୍ଦ ହାସ

ଶିଶୁ ଅଳିମାଳା            ମନୋହର ଖେଳା

କଟାକ୍ଷ ଲୀଳା ବିଳାସ ।୩।

 

ଚାହିଁଦେଇ ଦୂରୁ            ସକଳ ରମ୍ଭୋରୁ

ପୋଢ଼ିଲେ ମୁଖ ସାରସ

ଶ୍ୟାମ ମିଳି ଆଗେ            ଭାଷିଲେ ସରାଗେ

ବୋଲେ ରାଜବଳଦ୍ଧସ ।୪।

 

ଶ୍ରୀକୃଷ୍ଣ -

(ନମାର ଆଉ ଶ୍ୟାମ ଗୁଲାକୁ - ପ୍ରତି)

କାହିଁକି ଏଡ଼େ ଗୁମାନ ସହି

ନାହିଁ ନଥିବାର ମୁକୁର ମୁହଁ ।ପଦ।

 

ଉଚ୍ଚ ପରବତ            ପରବ ଦଳିତ

କୁଚପରେ ମୁଖଚନ୍ଦ୍ରକୁ ବହି

ଚିରୁଛ ଯେ ବସି            କରଜରେ ରସି

ନିରୁପମ କଳାବିଳାସ ସହି ।୧।

 

ନଟନକୁଶଳା            ଖେଳଲୋଳ ଲୀଳା

ଲଟ ପାଶୋରିଛି ଭ୍ରୂବଲ୍ଲୀ ଅହି

ଚତୁରିଏ ଖଣ୍ଡ            କିସ ଗୋ ଏ ଗଣ୍ଡ

ବତୁରି ଗଲାନି ଲୋତକ ବହି ।୨।

 

ସରସ ମଧୁର            ପଣ ଊଣାକର

ହରଷ ବଚନ ପଦେ ନ କହି

ତୁନିହୁଅ ମୁନି -            ମୋହନା କିଘେନି

ଖୁନିକଲା ଲୋକ ପରାଏ ରହି ।୩।

 

ନ ଧରଇ ଲେଶ            ଅଙ୍ଗଭଙ୍ଗୀ ବେଶ

ଅଧର ଭଜିଛି ବିରଙ୍ଗ ଚାହିଁ

ରାତିଟି କେବଳ            ମାତି ନାସାନିଳ

ତାତିଟି ଧୃତି ଦେଲାନି ଦହି ।୪।

ଶୁଣି ଶ୍ୟାମ ବାଣୀ            ସକଳ ତରୁଣୀ

ଭାଷିଲେ ଭାରତୀ ରଙ୍ଗିତ ବହି

ରାଜଇନ୍ଦ୍ର ଦେବ            ସେ ବିଭୁଙ୍କ ଭାବ

ହୃଦୟେ ନିତି ରଖିଲେ ଲିହି ।୫।

 

ଗୋପୀମାନେ -

(ପାର୍ବତୀ ଦେବୀ - ପ୍ରତି)

ଆହେ ନବକିଶୋର ହୀରା

ମୁରଲୀଧର ନାଗରୀ ଜାତି ମତିହରା

ନାଳିକନୟନ ହେ            ଭାଳିଥିଲ କି ମନେ

ଆଳୀଙ୍କି ସୁମ ଶର            ପାଳିରେ ଦେବି ବୋଲି ।ପଦ।

ଜାଣିଥିଲେ ଏହା ହେ ଧନ

ଆଣି ପାରନ୍ତା କେହି ଏ ବଂଶୀସ୍ୱନ ?

ବାଣୀ ପୀୟୁଷ ମୃଦୁ            ଛାଣି ଚତୁରପଣ

ଆଳୀମୋହନ - ନୀଳ -            ଠାଣି କଷନ୍ତୁ ତେବେ ।୧।

 

ଆସି ମୁଖ ଦେଖାଅ ଏବେ

ଭାସି ଗଲୁନି ଦାସୀଟାମାନେ ଶୋକାର୍ଣ୍ଣବେ

ଜାଗର କରି ନିଶି -            ଭାଗରେ ବୁଲି ବୁଲି

ଆଗରେ ମିଳି ଅନୁ -            ରାଗର ମନ ଘେନି ।୨।

 

ନାହିଁ ଲେଡ଼ା ତୁମ୍ଭ ପୀରତି

କାହିଁକି ଆଉ ଚାହିଁ ବସିଛ ଦୁଃଖରୀତି

ଯାଉଛୁ ପୁରକୁ ଏ ଦାଉ            ନସହୁ ଲବେ ଥାଉ

ଏ କଟାକ୍ଷ କଠାଉ            ତଳରେ ନମି ।୩।

ଶିଖଣ୍ଡଚୂଳ ସଖି ଗିରେ

ବିକଳ ହୋଇ ଭାଷିଲେ ମଦନ ଆତୁରେ

ରାଜନ ସୁରବର            ତାଜ କରି ସେ ବ୍ରଜ -

ରାଜତନୁଜ ପଦ            ଆଜନମୁ ସେବେ ।୪।

 

ଶ୍ରୀକୃଷ୍ଣ -

(ପ୍ରେମଚିନ୍ତାମଣିକି - ପ୍ରତି)

ଘେନି ଘେନି ବିନୟ କଟିସରୁଆ ।ପଦ।

କାହିଁକି ଏଡ଼େ ରୋଷ

ନାହିଁ ତ କିଛି ଦୋଷ

ଧରି ତୁମ୍ଭ କର            ମାଗୁଛି ନ କର

ମୋତେ ପଞ୍ଚଶର ଜରୁଆ ।୧।

 

ଅପରାଧ            ବିଚାର

କଲ ଏବେ ପଚାର

ଭୂରୁଚାପେ ସନ୍ଧି            ନେତ୍ରଶରେ ବିନ୍ଧି

ଦଣ୍ଡଦିଅ ନାହିଁ ପରୁଆ ରେ ।୨।

ଆହୁରି            ସରସରେ

ବାନ୍ଧି            ବାହୁପାଶରେ

ମୋ ଉରେ ଜମାଇଁ            ରଖ ରଖ ଦୁଇ

କୁଚଗିରି ଅତି ଗରୁଆ ରେ ।୩।

 

ସାଜି ତୁମ୍ଭର କେଶ

କରିବି ବୋଲି ବେଶ

ଦେଖ ଦେଖ ବାଛି            ବନରୁ ଆଣିଛି

କନ୍ଦ କରବୀର ମରୁଆ ରେ ।୪।

 

ଶୁଣି ଏ ଚାଟୁ ଭାଷା

ହସିଦେଲେ ସୁଦୃଶା

ଭାଷିଲେ କେଶବ            ନୃପତି - ବାସବ

ଚିନ୍ତେ ହୋଇ ଭବ - ଡରୁଆ ରେ ।୫।

 

ଶ୍ରୀକୃଷ୍ଣ -

(କଳାବତୀ, କାମ ମାରି ବିଦାରୁଛି ଛାତି - ପ୍ରତି)

ଘନକେଶି            ଧନ ଯେବେ

ହେଲା ମନ      ମିଶାମିଶିରେ ।ପଦ।

ପ୍ରାଣପରି ସବୁ ପ୍ରିୟସହୀ

ଆଣ କେ ହେଲେ କୁଞ୍ଜକୁ ଯାଇ

ରଖାଇଛି ନାନା            ଯନ୍ତ୍ର ବାଛି ଆଉ

ନଖାଉ ମୋ ଧୃତି ହସିହସି ।୧।

 

ପୁହାଇବା ସୁଖେ ଚନ୍ଦ୍ରରାତି

ନୂଆବୟସୀ ଏ ବୃନ୍ଦାବତୀ

ଚିପୁଡ଼ି ଜଣାଇଁ            ମଦନ ସୁରସ

ଟିପୁଥାଉ ପଖାଉଜ ରସି ରେ ।୨।

 

ସଙ୍ଗୀତରଙ୍ଗୀ ସାରଙ୍ଗୀ ଧରୁ

ଇଙ୍ଗିତ ଭଙ୍ଗୀ ରଙ୍ଗିଲାଗୁରୁ

ମଙ୍ଗିଯା ଅଭିନ୍ନା            ଖଞ୍ଜରୀକି ସୁନା -

ଅଙ୍ଗି ଯା ଅଳପ ସ୍ତନ ଠେସି ରେ ।୩।

 

ଲଜ୍ଜା କାହିଁକି ରେ କୁଞ୍ଜଲତା

ବଜାଇ ହଜାଇ ଦିଅ ଚେତା

ସଜାଇ ଏ ବୀଣା            ଦେଇଛି ତୋ କରେ

ମଜ୍ଜାଇବି ସେହି ସ୍ୱରେ ବଂଶୀ ରେ ।୪।

 

ଶୁଣି ଆଣି ଯନ୍ତ୍ରେ ବିରାଜିଲେ

ପୁଣି ପଦେ ପଦେ ସେ ଭାଷିଲେ

ରାସ ବିରଚିଲେ            ରାଜଇନ୍ଦ୍ର ବୋଲେ

ହୋଇ ଶ୍ୟାମ ସେବା ଅଭିଳାଷୀ ରେ ।୫।

 

ଗୋପୀମାନେ -

(ଭଜ ରେ ମନ ଗୋପାଳଂ - ପ୍ରତି)

ମୁରଲୀପାଣି ହେ            ଏ ଭାବ ନପାରେ ମୁଁ ଜାଣି ହେ

କଞ୍ଜ ଲଳିତତର            ରଞ୍ଜନ ମୁଖ ନୀଳ

ଅଞ୍ଜନ ଅନୁଖେଳ      ଖଞ୍ଜନ - ନୟନ ହେ ।ପଦ।

କାଟୁଛିକି ଏ ଚୁଡ଼ି            ଗାଢ଼େ ଦେଲେ ମୁଁ ଭିଡ଼ି

ଆଉ ମୋ ମକରି ନଯାଉ ଲିଭି ଏବେ

ଆଉ ନରଚ ଚୁମ୍ବ କାଉଳି ହୋଇ ଏଡ଼େ ।୧।

ଶ୍ରୀକୃଷ୍ଣ -

ବନ୍ଧୁ ଆରେ ବାରେ            ଛନ୍ଦ ମୋ କଟି ତୋ ପାରେ

ଚଞ୍ଚଳନୟନୀଏ ପଞ୍ଚବିଶିଖ ଦରୁ

ବଞ୍ଚନ ଘନ ସଞ୍ଚୟ ରୁଚି କେଶି ।ପଦ।

କହ ମୋ ରାଣ ଅଛି      ତତେ ରେ କି ଲାଗୁଛି ?

 

ମାନସକୁ ସତେ ପାନ କଲେ ଅଧର

କାନରେ କହୁ କିସ ଆନ ତୁ ଦେଇ ଧୀରେ ।୨।

ଗୋପୀ -

ମଲି ମଲି ମୁଁ ହାତି            ଶିଥିଳ କର ଛାତି

ଅଙ୍ଗରୁ ମୋର ଏହି ଅଙ୍ଗକୁଙ୍କୁମ ବୋଳ

ସଙ୍ଗୀ ହୋଇବ ଏ ଶ୍ରୀଅଙ୍ଗକୁ ଘେନ ଘେନ ।୩।

 

ଶ୍ରୀକୃଷ୍ଣ -

ନବରସିକା ଜାଣ            ତୁ ମୋର ପଞ୍ଚପ୍ରାଣ

ଚାଳି କଟିକ ଧନ ନାଳିକ କଳି କୁଚ

ଢାଳିଦେ ମୋର ଉରେ ଝଳିତ ଝଳି ତନୁ ।୪।

 

ଏହି ସୁରସ ଶେଷେ            ଶ୍ୟାମ ଭାଷିଲେ ତୋଷେ

ରାଜନ ସୁରବର ତାଜ କଲେ ବରଜ -

ରାଜତନୁଜ ପଦ ଆଜନମୁ ନିରତେ ।୫।

 

ଶ୍ରୀକୃଷ୍ଣ -

(ଘନଶ୍ୟାମଙ୍କୁ ଜୁହାର - ପ୍ରତି)

ନବନାଗରୀଭୂଷାଏ ଘେନ ଘେନ ମୋ ବିନତି ବାରେ

ନଦେଲ କି ସୁଖରତି ମଦେ ମାତିବାରେ ।ପଦ।

କାଳିନ୍ଦୀ ତଟ ବିପିନ            ଭାଳିବାରେ ହେଲା ଧନ୍ୟ

ନିତି ଏହିପରି କର ପ୍ରୀତି ଶରଧାରେ ।୧।

 

ଲାଲ ହେଲା ଦିଗମାନେ            ଚାଲ ଗୋ ଯିବା ବହନେ

ଶ୍ରମରୁ ପୂରିଲା ତନୁ ଘର୍ମ ନୀରଧାରେ ।୨।

ରାଜୀବ ବାସ ମରୁତ            ବାଜିବାକୁ ବଳେ ଚିତ୍ତ

ରାଜି କର ଖେଳିବା ଗୋ ଆଜି ଯମୁନାରେ ।୩।

 

ଭାରି ନିତମ୍ବିଏ ମିଳି            ସାରିଦେବା ଜଳକେଳୀ

କଦନ ବହିବା ପାପ ମଦନ ଗମାରେ ।୪।

ଶ୍ୟାମବାଣୀ ଶୁଣି ଗଲେ            ଜଳେ ବିହରି ଭାଷିଲେ

ରାଜିତ ହେଲା ଏ ଗୀତ ରାଜ - ବିଡ଼ୋଜାରେ ।୫।

 

ଗୋପୀ -

(ରସରଙ୍ଗୀଟି ମୋ ଜୀବନ - ପ୍ରତି)

ରଙ୍ଗମନା ଅନା ପଙ୍କଜ କେଳିକି

ତୋଳି ଆଣ ଗୋ ଦେବା ବନମାଳୀକି ।ପଦ।

 

ତୋତେ ଅଛି ମୋ ରାଣ            ନକର ହଇରାଣ

କଟି ତ ସରୁ ସ୍ତନି ଘଟିତ ହଇରାଣ

ତୁ ନୂଆଁ ଛଇଲାଟି ଘେନି ନେବୁ ପରାଣ

ଏ ସୁଆଗକୁ ମୁହିଁ ଭଳି କି ? ।୧।

 

ଦେଖ ଗୋ ଦେଖ ସହି            ଏ ମୋତେ ରଖୁ ନାହିଁ

ବୁଡ଼ାଇବାକୁ ଜଳେ ଗୋଡ଼ାଅଛି ସେହି

କେତେ ରସଭଙ୍ଗୀ ଏତେ ଶିଖିଲା କାହିଁ ?

ଆଉଁସୁଛି ମୋ କାମସ୍ଥଳୀକି ।୨।

 

ମାଗୁଛି ଧରି କର            ଲାଗୁଛି ବଡ଼ ଡର

ପହଁରା ଆସୁନାହିଁ ରହ ରସିକାବର

ଲଙ୍ଘା ହୋଇ ଗଲିଟି ସଙ୍ଗାତ ପରା ମୋର

ଜଙ୍ଘା ଜଘନ ତଳେ ଗଳି କି ? ।୩।

 

ଜଳଖେଳେ ଏପରି            କଳବାଣୀଏ ସାରି

କୂଳରେ ଉଭା ହୋଇ ଦେଖି ତାଙ୍କ ମାଧୁରୀ

ମେଲାଣି ମାଗିବାକୁ ଭାଷିଲେ ବଂଶୀଧାରୀ

ବନ୍ଦେ ରାଜେନ୍ଦ୍ର ଶ୍ୟାମ ଝଳିକି ।୪।

 

ଶ୍ରୀକୃଷ୍ଣ -

(ଚତୁରୀ ଚାତୁରୀକି ଚାହିଁ ଚମକି - ପ୍ରତି)

ସଜନି ! ମୁଁ ଯାଉଛି ରେ

ଥାଉ ଚିତ୍ତେ ଏ ଅନୁକମ୍ପା ରେ । ପଦ ।

ଥିଲାପରି ତୋର ପାଶରେ            ଘେନିଥିବୁ ନିଶା ବାସରେ

ଗାନକୁଶଳା ରେ            ଆଉ ତୁ ନମାରେ

ଜ୍ଞାନହଜା କାମ ମଲ୍ଲୀଗୁମ୍ଫା ରେ ।୧।

 

ଭିନ୍ନ ହୋଇ ପରାଣସହି            ଦିନ କାଲି ବଞ୍ଚିବି କେହି

ପୀନପୟୋଧରି            କ୍ଷୀନ ଦେବ କରି

ମୀନକେତୁ ମୋର ଧୃତିଝମ୍ପା ରେ ।୨।

ବରିବୁଟି ଏପରି ସହି            ପରିବାରୀ ନଥିବେ କେହି

କଞ୍ଜରମ୍ପବାସୀ            ପଞ୍ଜରକୁ ଆସି

ରଞ୍ଜନ ଭୁଲାକି ଦରକମ୍ପା ରେ ।୩।

 

ଅନୁପମ କୁନ୍ଦ ସୁହାସି            ଧନୁ ଚାରୁ ଭୁରୁବିଳାସୀ

ଅନୁକ୍ଷଣେ ତୋର            ହେବ କି ପାଶୋର

ଧନଟି ମନୁ ତୋ ତନୁଶମ୍ପା ରେ ।୪।

ଆଜି କେଳୀ କୁତୁକ ଭାବ            ରାଜିବାକ୍ଷି କେତେ ନୋହିବ

ଆଜୀବ ବନ୍ଧୁଆ            ସାଜିଦେବ ନୂଆ

ଆଜି ମଣିମଣ୍ଡା ବେଣୀଝୁମ୍ପା ରେ ।୫।

 

ଶୁଣି ଭାଷିଲେ ସଖିଏ            ପୁଣି ଜଣେ ବିନୟେ

ଭଣିଲେ ରାଜେନ୍ଦ୍ର                  ସୁରସିକ ଚନ୍ଦ୍ର

ଚୁମ୍ବି ଶ୍ୟାମ କରାଙ୍ଗୁଳି ଚମ୍ପା ରେ ।୬।

 

ଗୋପୀ -

(ଯାଉଛି ରେ ରସବତି ନିତି ପଡ଼ୁଥିବି ମନେ - ପ୍ରତି)

ଯାଉଛି ହେ ଖିଆଲିଆ ଥାଉ କୃପା କିଞ୍ଚିତରେ ।ପଦ।

ନୟନ ସମ୍ପଦ ମୋର      ଶୟନ କାଳେ ତୁମ୍ଭର

ପୟରେ ନିବେଶି କର      ରହିଛି ମୁଁ ନିରନ୍ତର ।୧।

 

ପାଶୁ ତ ଅଳପ ଗଲେ      ଶାଶୁ ତ ତୁଛାକୁ ହେଲେ

ବାସୁଛି ତୋ ତନୁ ଭଲେ      ଭାଷୁଛି କେତେ ଚାତର ।୨।

ବାହାରି ଯିବାକୁ ମନ      ଯାହା ଲାଗୁଛି ହେ ଧନ

ଆହା ମୋ ରଙ୍କରତନ      କାହାର କି ଆୟତ୍ତ ରେ ।୩।

 

କହି ଏ ମୃଦୁ ଭାଷକୁ      ସହିଏ ଗଲେ ବାସକୁ

ବହିଲେ ରାସ ରସକୁ      ରାଜେନ୍ଦ୍ରଦେବ ଗୀତରେ ।୪।

 

ସମାପ୍ତ